ଝରକା
ଏପଟେ ମୁଁ, ସେପଟେ ତୁମେ
ମଝିରେ ଏଇ ଝରକା......
ତୁମ ଛାତିରେ ରଙ୍ଗ ବେରଙ୍ଗ ଫୁଲ
ପୁଣି ତା' ବୁକୁରେ ମତୁଆଲା ପ୍ରଜାପତି,
ମୋ ଆଖିରେ କୁଢକୁଢ ସ୍ବପ୍ନ
ଆଉ ତା' ଉପରେ ଅନିଶ୍ଚିତତାର ପ୍ରଶ୍ନବାଚୀ।
ତଥାପି ତୁମକୁ ଚାହିଁ ମୁଁ ନିଜକୁ ହଜେଇ ଦିଏ
ତୁମେ କିନ୍ତୁ ବେଖାତିର କରି ମୋତେ
କଲବଲ କରି ଚାହିଁ ରହିଥାଅ
ତୁମର ସେ ନୀଳ ଆକାଶ କୁ।
ମୋର ଆଶା ଓ ତୁମର ବାସ୍ତବତା
ମଧ୍ୟର ଲକ୍ଷ୍ମଣରେଖା,
ଏଇ ଝରକା ......
ତୁମର ସେ ଅଙ୍କାବଙ୍କା ମାଟି ରାସ୍ତା
ବତେଇ ପାରେନି ମଶାଣିର ଠିକଣା,
ମୋ ଛାତିର ଆକୁହା, ଅବୁଝା, ଅଦୃଶ୍ଯ କୋହ ଗୁଡାଙ୍କୁ।
ତୁମର ସେ ବିସ୍ତୃତ ସବୁଜିମା
ମାପି ପାରେନି
ମୋ ନିରୋଳା ଅସ୍ତିତ୍ବର ପରିସୀମା।
ତୁମ ଅସ୍ତ ସୂର୍ଯ୍ଯ, ଉଆଁସ ରାତି
ଅବା ପୂର୍ଣ୍ଣିମାର ଜ୍ଯୋତ୍ସ୍ନା
ସହଜରେ ଗ୍ରାସ କରିପାରନ୍ତି
ମୋର କେତେ ମୂଲ୍ୟବାନ ମୁହୂର୍ତ୍ତ ମାନଙ୍କୁ,
କିନ୍ତୁ ମୋର ନିର୍ଜ୍ଜନତା ତକ
କେବେ ହେଲେ ଅକ୍ତିଆର କରି ପାରନ୍ତିନି
ତୁମ ଚିରନ୍ତନତାର କାଣିଚାଏ ଅଂଶ,
ବୋଧହୁଏ ସେଥିପାଇଁ ତୁମେ ପ୍ରକୃତି
ଆଉ ମୁଁ କ୍ଷଣସ୍ଥାୟୀ ମଣିଷ,
ଆମ ଦୁଇ ସତ୍ଯର ଅପହଞ୍ଚ ଦୂରତା
ଏଇ ଝରକା.....
ଦୀପାଞ୍ଜଳି ଧୂପାଳ
©Deepanjali Dhupal
#nojotoodia #nojotoodisha