ମୁଁ ଏବେ ବି ବଞ୍ଚିଛି...
(ତୁର୍କୀ ଓ ସିରିଆ ଭୁମିକମ୍ପର ଦାରୁଣ ଚିତ୍ର)
ହେ, ଈଶ୍ବର
ତୁମେ ଶୁଣୁଛ,
ଭଗ୍ନ ସ୍ତୁପ ତଳେ
ମୁଁ ଏବେ ବି ବଞ୍ଚିଛି
ନା, ଭୁଲ୍ ହୋଇଗଲା
ତୁମେ ବଞ୍ଚାଇ ରଖିଛ
ଅହୋଭାଗ୍ୟ ମୋର
ହଁ, ପରୀକ୍ଷା ନେଉଛ
ମୁଁ ଜାଣେ,
ମୁଁ ଜାଣେ, ହେଲେ ମୋର ନୁହେଁ
ତୁମେ ସୃଷ୍ଟି କରିଥିବା ମଣିଷଙ୍କର
ସଭ୍ୟତାର ଓ ମାନବିକତାର
ହେଉ, କିଛି କଥା ନାହିଁ
ଅପେକ୍ଷା କରିବି ତୁମର,
ସେଇ ମଣିଷ ରୂପି ଦେବଦୂତଙ୍କର
ଅପେକ୍ଷା କରିବି, ତୁମ କରୁଣାକୁ
ଶୁଣିଛି ତୁମେ ପରା କରୁଣାକର
ପୋତି ଦେଇଛ ମତେ ତୁମେ
ତଥାପି ଶକ୍ତି ଦେଇଛ
ଦେଖିବା ଓ ଶୁଣିବାକୁ
ହାହାକାର ତାନରେ ନବଜାତକର ସ୍ବରକୁ
ଦେଖିଲି, ଦେବଦୂତ ଆସି ଜୀବନ୍ୟାସ ଦେଲେ
ଟୋପା ଟୋପା କରି କେଇ ବୁନ୍ଦା
ଜଳ ମୋ ତୁଣ୍ଡରେ ଢାଳିଲେ
ଶୀଘ୍ର କର, ଶୀଘ୍ର କର
ଆଉ ଶକ୍ତି ନାହିଁ ସହିବାକୁ ମୋର
ପାହୁଣ୍ଡେ, ପାହୁଣ୍ଡେ, ଚାଲିଆସ ତୁମେ
ସମସ୍ତ ଶକ୍ତି ସଞ୍ଚୟ କରିଛି
ଦେଖିବାକୁ ତୁମ ରୂପକୁ
ବୋହି ଯାଉଛି ମୋର ଅଶ୍ରୁ ଧାର ।।
©Tafizul Sambalpuri
#କବିତା